
ଦିଗପହଣ୍ଡି: ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲାରେ ବାଚସ୍ପତିଙ୍କ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚରମସୀମା ଛୁଇଁଛି। ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡ.ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଆଜି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରବଳ ବିରୋଧ କରିବା ସହ ଘେରାଉ କରି ରଖିଥିଲେ। ଖାଲି ଏତିକି ନୁହେଁ, କିଛି କର୍ମୀ ଦଳୀୟ ପତାକାକୁ ପୋଡ଼ି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା, ଦୁଇ ଘଣ୍ଟା ଧରି ଅସନ୍ତୁଷ୍ଟ ଗୋଷ୍ଠୀର କବ୍ଜାରେ ରହିଥିଲେ ବାଚସ୍ପତି ଓ ସାଂସଦ। ଶେଷରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ କାର୍ଯ୍ୟକ୍ରମକୁ ବାତିଲ୍ କରି ଉଭୟେ ଫେରି ଆସିଥିଲେ। ଏହି ଘଟଣା ଏଠାରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନାନୁସାରେ, ବାଚସ୍ପତି ଶ୍ରୀ ପାତ୍ର ଦୁଇଦିନିଆ ନିର୍ବାଚନମଣ୍ଡଳୀ ଗସ୍ତରେ ଅଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଜି ଚୌଧୁରୀଟିକରପଡ଼ା ଗ୍ରାମ ବଡ଼ସାହିରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ବାଚସ୍ପତି ଓ ସାଂସଦ ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ସେମାନେ ପହଞ୍ଚିବା କ୍ଷଣି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ରୋଷର ଶିକାର ହୋଇଥିଲେ। ଅପରାହ୍ଣ ପ୍ରାୟ ୨ଟାରୁ ୪ଟା ପର୍ଯ୍ୟନ୍ତ ୨ଘଣ୍ଟା ଧରି ଗ୍ରାମର ବହୁ ସଂଖ୍ୟକ ମହିଳାଙ୍କ ସମେତ ଅସନ୍ତୁଷ୍ଟ ବିଜେଡି କର୍ମୀ ବାଚସ୍ପତିଙ୍କ କାର୍ ଆଗରେ ବସି ରହି ପ୍ରତିବାଦ କରିଥିଲେ। ସାଂସଦଙ୍କୁ ବି ଘେରିଥିଲେ। କିଛି ନିର୍ଦ୍ଦିଷ୍ଟ ଦଳୀୟ ନେତୃବୃନ୍ଦଙ୍କ କଥାରେ ଆପଣ କାହଁକି ପରିଚାଳିତ ହେଉଛନ୍ତି ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। କିଛି ଯୁବ ବିଜେଡି କର୍ମୀ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ସହ ଶୋଭାଯାତ୍ରାରେ ଆସିଥିବା ଦଳୀୟ କର୍ମୀଙ୍କ ଠାରୁ ପତାକା ଛଡ଼ାଇ ଚିରିବା ସହ ପୋଡ଼ି ଦେଇଥିଲେ। ସ୍ମାର୍ଟ କ୍ଲାସ୍ରୁମ୍ ଏବଂ ନବନିର୍ମିତ ମିସନ୍ ଶକ୍ତି କୋଠା ଉଦ୍ଘାଟନ କରିବାକୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦ ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲେ। ଶେଷରେ ନିଜେ ବାଚସ୍ପତି କାର୍ଯ୍ୟକ୍ରମକୁ ବାତିଲ୍ ଘୋଷଣା କରିଥିଲେ। ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ନିଜେ ବାଚସ୍ପତି ସମସ୍ତ ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ନବନିର୍ମିତ କୋଠା ଏବଂ ଚେକ୍ ଡ୍ୟାମ୍କୁ ବାଚସ୍ପତି ଉଦ୍ଘାଟନ କରିଥିଲେ।
ଏ ସମ୍ପର୍କରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ପଞ୍ଚାୟତ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ବିଭେଦ ରହିଛି। ଖୁବ୍ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ। ତେବେ, ପଞ୍ଚାୟତ ନିର୍ବାଚନ ଆଗରୁ ବିଜେଡିର ଗୋଷ୍ଠୀ ବିବାଦକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
The post ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ: ବାଚସ୍ପତି, ସାଂସଦ ୨ଘଣ୍ଟା ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3GVu9dE
0 Comments