
ଭବାନୀପାଟଣା : ଗୁରୁବାର ସନ୍ଧ୍ୟାରେ ଯୁବନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କ ନେତୃତ୍ବରେ ଏକ ବାଇକ୍ ରାଲି ଭବାନୀପାଟଣା ସହର ପରିକ୍ରମା କରିଥିଲା। ସେହିପରି ଭକ୍ତ ଦାସଙ୍କ ନେତୃତ୍ବରେ ସହରରେ ପଦଯାତ୍ରା କରାଯାଇଛି। ଶୁକ୍ରବାର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଏହି ସଚେତନତା ଶୋଭାଯାତ୍ରା କରିଥିଲେ। ବାପା ପୁଅଙ୍କ ଶୋଭାଯାତ୍ରା ସହରସାରା ଚର୍ଚ୍ଚାର ବିଷୟ ହୋଇଛି।

ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗରେ ଶୁକ୍ରବାର କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ବନ୍ଦକୁ ସଫଳ କରିବା ପାଇଁ ପୂର୍ବ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଓ ତାଙ୍କ ପୁଅ ସାଗର ଦାସ ଗୁରୁବାର ସନ୍ଧ୍ୟାରେ ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସାଗରଙ୍କ ନେତୃତ୍ବରେ ରାଲି ଭବାନୀପାଟଣା ସହରର କେସିଙ୍ଗା ରୋଡ୍ ପେଟ୍ରୋଲ ଟାଙ୍କିରୁ ବାହାରି କଲେଜ୍ ଛକ, ମାଣିକେଶ୍ବରୀ ହାଇସ୍କୁଲ୍ ଛକ, ଷ୍ଟେଚ୍ୟୁଛକ, ଗାନ୍ଧୀଛକ, ଘୋଡ଼ାଘାଟ ଛକ, ବସ୍ଷ୍ଟାଣ୍ଡ, ବାଲାଜୀ ମନ୍ଦିର ଛକ, ନକଟିଗୁଡ଼ା ଛକ, ପୁରୁଣାପଡ଼ା, ଷ୍ଟେଟ୍ ବ୍ୟାଙ୍କଛକ ଦେଇ ପୁରୁଣା ବସଷ୍ଟାଣ୍ଡଠାରେ ପହଞ୍ଚି ଥିଲା। ଏହି ରାଲିରେ ବିଜୟ ଦୀପ, ମହମ୍ମଦ ସାହେବ, ସାଗର ପଟ୍ଟନାୟକ, ସରୋଜ ବାଗ, ବାବା ଅଲ୍ଲୀ ଖାନ, ବିଶ୍ବଜିତ ପଟ୍ଟନାୟକ ସମେତ ଶତାଧିକ ଯୁବନେତା ସାମିଲ ହୋଇଥିଲେ।
ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ନେତୃତ୍ବରେ ଏକ ପଦଯାତ୍ରା ତାଙ୍କ ଘରଠାରୁ ବାହାରି ମେଡିକାଲ୍ ଛକ, ଜେଲ୍ ଛକ, ବସ୍ଷ୍ଟାଣ୍ଡ, ଘୋଡ଼ାଘାଟ ଛକ, ମାଣିକେଶ୍ବରୀ ମନ୍ଦିର ଛକ, ଷ୍ଟେଚ୍ୟୁ ଛକ, ଗାନ୍ଧୀଛକ ସମେତ ବିଭିନ୍ନ ସ୍ଥାନକୁ ଯାଇଥିଲା। ପଦଯାତ୍ରା କରି ଶୁକ୍ରବାର ଦୋକାନ ବଜାର ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ପରମାନନ୍ଦ ମାଝୀ, ରବୀନ୍ଦ୍ର ପଟ୍ଟଯୋଷୀ, ମହମ୍ମଦ ଅଲ୍ଲୀ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଲୋକଙ୍କୁ ସଚେତନ କରି ଶାନ୍ତିପୂର୍ଣ୍ଣ ଭାବରେ ଓଡ଼ିଶା ବନ୍ଦ ପାଳନ କରିବାକୁ ନିବେଦନ କରିଛନ୍ତି।
The post ଭବାନୀପାଟଣାରେ କଂଗ୍ରେସର ଶୋଭାଯାତ୍ରା: ଭକ୍ତଙ୍କ ପଦଯାତ୍ରା ଓ ସାଗରଙ୍କ ବାଇକ୍ ରାଲି first appeared on Sambad.from ଜିଲ୍ଲା | Sambad https://ift.tt/3C1PqP6
0 Comments