ବାଲିକୁଦା: ଜଗତିସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ବାଲିଘାଟ ରାସ୍ତା ନିର୍ମାଣକୁ ରାମଦାସପୁର ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି। ଫଳରେ ରାସ୍ତା ନିର୍ମାଣ କରୁଥିବା ଜେସିବି ଫେରିଯାଇଛି। ଦର୍ପଣ ତହସିଲ ମୂଷାଟିକିରି ରାଜସ୍ବ ସର୍କଲ ଅନ୍ତର୍ଗତ ରଇପୁର ପଞ୍ଚାୟତ ବିରୂପା ନଦୀଶଯ୍ୟାର ରାମଦାସପୁର-୧ ସୈରାତକୁ ଗତବର୍ଷ ତହସିଲ ପକ୍ଷରୁ ଟେଣ୍ଡର କରାଯାଇଥିଲା। ୫ ବର୍ଷିଆ ଲିଜ୍‌ ସୂତ୍ରରେ ୭ ଏକର ପରିମିତ ଅଞ୍ଚଳର ସୈରାତ କେସ- ନଂ-୯/୨୦୨୦ ରେ ସୁବାସ ବେହେରାଙ୍କ ନାମରେ ଚୁକ୍ତିନାମା ହୋଇଥିଲା। କୌଣସି କାରଣରୁ ଚୁକ୍ତିନାମା କାର୍ଯ୍ୟକାରୀ ହୋଇପାରି ନଥିଲା। ଚଳିତବର୍ଷ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।

ଦୁଇଦିନ ତଳେ ତହସିଲ ପକ୍ଷରୁ ଫଳକ ଲଗାଯିବା ସହ ମାପଚୁପ କରାଯାଇଥିଲା। ଶନିବାର ମୁଖ୍ୟ ରାସ୍ତାକୁ ଉଠିବା ପାଇଁ ଆପ୍ରୋଚ୍‌ ରୋଡ୍‌ ଓ ନଦୀଶଯ୍ୟା ନିକଟକୁ ଯିବା ପାଇଁ ଲିଜଧାରୀ ରାସ୍ତା ନିର୍ମାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ବାଧ୍ୟ ହୋଇ ଜେସିବି ଫେରିଯାଇଥିଲା। ଗାଁ ଲୋକଙ୍କ ଅଭିଯୋଗ ଯେ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନେ ନଦୀ ଉପରେ ନିର୍ଭର କରନ୍ତି। ବାଲି ଉଠାଣ ଦ୍ବାରା ବହୁ ସମସ୍ୟା ଦେଖାଦେବ। ଝିଅବୋହୂଙ୍କ ସ୍ନାନଶୌଚରେ ଅସୁବିଧା ହେବ।

ନଦୀଶଯ୍ୟା ଖୋଳିବା ଦ୍ବାରା ବଡ଼ବଡ଼ ଗର୍ତ୍ତ ହୋଇ ଦୁର୍ଘଟଣା ଆଶଙ୍କା ରହିଛି। ବନ୍ୟାଜଳ ବହୁଦିନ ଧରି ଜମିରହିବ। ୨୦୦ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇବେ। ପ୍ରଶାସନ ଏହାର ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି। ତହସିଲଦାର ପ୍ରଦୀପ୍ତ କୁମାର ସେଠୀ କୁହନ୍ତି, ବର୍ଷବର୍ଷ ଧରି ସେମାନେ ଚୋରା ବେପାର କରି ଲୁଟି ଖାଉଥିଲେ, ସେଥିପାଇଁ ପ୍ରଶାସନ ଟେଣ୍ଡର ଆହ୍ବାନ କରିଥିଲା। ବାଲିଘାଟ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ। ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ସେ କହିଥିଲେ।

The post ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ, ଉତ୍ତେଜନା first appeared on Sambad.

from ଜିଲ୍ଲା | Sambad https://ift.tt/3nD6arK