ଭବାନୀପାଟଣା : ଦୁଇଦିନ ତଳେ କଳାହାଣ୍ଡି ଜିଲ୍ଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଶୋଭାଯାତ୍ରାରେ ଅଣ୍ଡାମାଡ଼ ହୋଇଥିଲା। ସୋମବାର ଦିନ କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ କେଗାଁ ଥାନାରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋଲାମୁଣ୍ଡା ବ୍ଲକ୍‌ କେଗାଁ ଥାନା କରଂଜକୋଟ ଠାର ‘ବିଜୁ ମୋ ପରିବାର’ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କରଂଜକୋଟ ଯିବା ସମୟରେ ସାନଚେର ଗାଁର କରଲାପଡ଼ାରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ପାଇଁ ୧୦ଜଣ କଂଗ୍ରେସ କର୍ମୀ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନା ପାଇ କେଗାଁ ପୁଲିସ୍‌ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ, ଡାକେଶ୍ୱର ଲହଜଳ, ଲମ୍ବୁ ଜାଲ, ଧର୍ମେନ୍ଦ୍ର ନାୟକ, ସୁରଥ ତାଣ୍ଡି, ମଣ୍ଟୁ ସାହୁ, ଜଳଧର ମାଝୀ, ମଣ୍ଟୁ ମଙ୍ଗରାଜ, ନୌକେଶ୍ୱର ପଟେଲ, ରାଜେଶ ବଗର୍ତ୍ତିଙ୍କୁ ଥାନାରେ ଅଟକ ରଖିଥିଲା। ସନ୍ଧ୍ୟା ୫ଟାରେ ମନ୍ତ୍ରୀ ଫେରିବା ସମୟରେ ଯୁବ କଂଗ୍ରେସ କର୍ମୀମାନେ ଥାନା ଗେଟ୍‌ ନିକଟକୁ ଯାଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ସହିତ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ପୁଲିସ-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ସେମାନଙ୍କୁ ପୁଲିସ ଛାଡ଼ି ଦେଇଥିଲା। ପୁଲିସ ହେପାଜତରେ ଥାଇ ଏଭଳି କଳାପତାକା ପ୍ରଦର୍ଶନ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଦିବ୍ୟଶଙ୍କରଙ୍କୁ କଳାପତାକା ପ୍ରଦର୍ଶନ, ଯୁବ କଂଗ୍ରେସର ୧୦ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2ZGODFV