ଘୁ ଉଦୟଗିରି : ସରକାରୀ କଳ ଯେଉଁଠି ବିଫଳ ହେଲା ସେଠାରେ ଯୁବଗୋଷ୍ଠୀ ବଳ ଓ ବୁଦ୍ଧି ଖଟାଇଲେ। ଆଉ ନିଜ ଉଦ୍ୟମରେ ଚାଷ କାମ କରିବାକୁ କେନାଲ ପୁନରୁଦ୍ଧାର କଲେ।  କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚା‌ୟତ ସାରଙ୍ଗଧରପୁର ଓ ଆର୍.ପଡ଼ିକିଆ ଗ୍ରାମ ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସ ଆଜି ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି।
ନିକଟ ସାରଙ୍ଗଧରପୁର ଓ ଆର୍.ପଡ଼ିକିଆ ଗ୍ରାମରୁ ମାତ୍ର ଏକ କିମି ଦୂର କଲିନା ଥିବା ଡ୍ୟାମ୍‌ ଖରାପ ହୋଇଯାଇଥିବାରୁ କଲିନାଜୁ ଗ୍ରାମକୁ ପାଣି ଆସିପାରୁନି।  ମରାମତି ପାଇଁ ଅନୁଦାନ ଆସୁଥିଲେ ବି ଏହା ବିନିଯୋଗ ହେଉନି। ୧୦ରୁ ୧୫ ବର୍ଷ ହେଲା କେନାଲରେ ପାଣି ଆସୁନି। ଫଳରେ ଚାଷୀ ଖରିଫ୍ ଓ ରବି ଫସଲ ଚାଷ କରିପାରୁନାହାନ୍ତି। ପୂର୍ବରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସୁଫଳ ମିଳିଲାନି। ଫଳରେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନେକ ଜମି ପଡ଼ିଆ ରହିଥିଲା।
ଫଳରେ ଉଭୟ ଗ୍ରାମର ହୃଷିକେଶ ପ୍ରଧାନ, ସତ୍ୟଚରଣ ପ୍ରଧାନ, ସୁଜିତ ପ୍ରଧାନ, ଅନିଲ ପ୍ରଧାନ, ବୁଲୁ ପ୍ରଧାନ, ସାନୁଜ ପ୍ରଧାନ ଓ ଉଦ୍ଧବ ପ୍ରଧାନଙ୍କ ସମେତ କିଛି ଯୁବକ କେନାଲର ପୁନରୁଦ୍ଧାର ଏବଂ ମରାମତି ପାଇଁ ଅଣ୍ଟା ଭିଡ଼ିଥିଲେ। ଶ୍ରମଦାନ କରି କୋଡ଼ି ଓ କୋଦାଳ ସାହାଯ୍ୟରେ କେନାଲକୁ ସଫେଇ କରିବା ସହ ଏହାକୁ ମରାମତି କରିଛନ୍ତି। ସିମେଣ୍ଟ୍ ଦ୍ବାରା କିଛି ଅଂଶକୁ ପ୍ଲାଷ୍ଟରିଂ ମଧ୍ୟ କରାଯାଇଥିଲା। ଯୁବକମାନଙ୍କ ଏହି ପ୍ରୟାସକୁ ଦୁଇ ଗ୍ରାମର ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ‘ତେବେ ରାଜସ୍ବ ବିଭାଗ ବର୍ଷ ଶେଷ ହେବା ଆଗରୁ ଜଳ କର ଆଦାୟ କରୁଛନ୍ତି। କିନ୍ତୁ ଚାଷୀଙ୍କ ଦୁଃଖ କାହାକୁ ଦେଖାଯାଉନି। ଆଗାମୀ ଦିନରେ ଏହି ପ୍ରକଳ୍ପର ସଂପୂର୍ଣ୍ଣ ପୁନରୁଦ୍ଧାର ହେଉ। ଯଦ୍ବାରା ଚାଷୀ ଉପକୃତ ହୋଇପାରିବେ’ ବୋଲି ସେମାନେ ଦାବି କରିଛନ୍ତି।
The post ସରକାରୀ କଳ ବିଫଳ, ନିଜସ୍ୱ ଉଦ୍ୟମରେ ଚାଷ ପାଇଁ କେନାଲ ପୁନରୁଦ୍ଧାର କଲେ ୨ ଗାଁର ଯୁବଗୋଷ୍ଠୀ  first appeared on Sambad.

from ଜିଲ୍ଲା | Sambad https://ift.tt/3n3mSk3