
ବଙ୍ଗୋମୁଣ୍ତା : ବଙ୍ଗୋମୁଣ୍ତା- ଚୁଲିଫୁଙ୍କା ରାସ୍ତାରେ ରହୁଥିବା ଶିକ୍ଷକ ଲୋକନାଥ ମେହେରଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଚୋରମାନେ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଶ୍ରୀ ମେହେର ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ସିନ୍ଧି କରି ଲୋକନାଥଙ୍କ ଘରେ ପଶିଥିଲେ। ଆଲମିରା ଭାଙ୍ଗି ସୁନାର ଗୋଟିଏ ହାର, ଗୋଟିଏ ଚେନ୍, ଗୋଟିଏ ମୁଦି, ୧୫ଟି ମୂଲ୍ୟବାନ ଶାଢ଼ି, ନଗଦ ସାଢ଼େ ୭ ହଜାର ଟଙ୍କା ଚୋରି କରି ନେଇଥିଲେ। ବୁଧବାର ସକାଳେ ଚୋରି ସଂପର୍କରେ ଜାଣିପାରି ଲୋକନାଥ ବଙ୍ଗୋମୁଣ୍ତା ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ ୪ବର୍ଷ ତଳେ ମଧ୍ୟ ତାଙ୍କ ଘରୁ ଚୋରି ହୋଇଥିଲା। କିନ୍ତୁ ଏଯାଏ ଚୋରି ଘଟଣାର କିଛି ଜଣାପଡ଼ିଲା ନାହିଁ। ବଙ୍ଗୋମୁଣ୍ତା ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ୁଥିଲେ ମଧ୍ୟ ଚୋରମାନେ ଧରାପଡ଼ୁ ନାହାନ୍ତି। ଫଳରେ ଅଞ୍ଚଳବାସୀ ସୁରକ୍ଷିତ ମଣୁ ନାହାନ୍ତି। ତେଣୁ ପୁଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
The post ଶିକ୍ଷକଙ୍କ ଘରୁ ସିନ୍ଧିକରି ଚୋରି, ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ନେଇଗଲେ first appeared on Sambad.from ଜିଲ୍ଲା | Sambad https://ift.tt/3EI8AeB
0 Comments