
ଟିଟିଲାଗଡ଼: ଟିଟିଲାଗଡ଼ରେ ଟ୍ରାଫିକ୍ ସମସ୍ୟା ସୁଧାରିବା ପାଇଁ ଜେସିବି ବୁଲିଛି। ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଗୁରୁବାର ହାଟପଦା ପଡ଼ାରେ ରାସ୍ତାକଡ଼ରୁ ଜବରଦଖଲ କରିଥିବା ଦୋକାନଗୁଡିକୁ ଭାଙ୍ଗି ଚୂରମାର କରି ଦିଆଯାଇଛି। ଏହାକୁ ନେଇ ସହରରେ ତୀବ୍ର ଅସନ୍ତୋଷ ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।
ସକାଳେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପୌର କର୍ମଚାରୀ, ଜେଇ, ପୁଲିସ ପ୍ରଶାସନ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ଥାନା ଅଧିକାରୀ ରଞ୍ଜନ ବରିହା ପ୍ରମୁଖ ହାଟପଦା ପଡ଼ାକୁ ପହଂଚିଥିଲେ। ପ୍ରଥମେ ରାସ୍ତାକଡ଼ରେ ଥିବା ଉଠାଦୋକାନୀମାନଙ୍କୁ ହଟାଇଥିଲେ। ପରେ ପଡ଼ାର ମୁଖ୍ୟ ଡ୍ରେନଗୁଡ଼ିକୁ ଅବରୋଧ କରିଥିବା ବ୍ୟବସାୟୀମାନଙ୍କ ଦୋକାନ ଉପରେ ଜେସିବି ଲାଗିଥିଲା। ଦେଖୁ ଦେଖୁ ଅନେକ ପକ୍କା ଘର, ଦୋକାନ ମାଟିରେ ମିଶି ଯାଇଥିଲା। ଯାହାକୁ ନେଇ କିଛି ସମୟ ଧରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପରେ ଉପଜିଲ୍ଲାପାଳ ଦୋକାନୀମାନଙ୍କୁ ସେମାନଙ୍କ ସାମଗ୍ରୀ ନେବା ପାଇଁ ଘଣ୍ଟାଏ ସମୟ ଦେଇଥିଲେ। ଦୋକାନୀମାନେ ନିଜ ନିଜ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବା ପରେ ଜେସିବି ଲଗାଇ ସମସ୍ତ ରାସ୍ତାକଡ଼ ଦୋକାନକୁ ଭଙ୍ଗା ଯାଇଥିଲା। ବିନା ନୋଟିସରେ ବାସଗୃହ ଭଙ୍ଗାଯାଉଛି ବୋଲି ଅଭିଯୋଗ କରି କିଛି ଗୃହିଣୀ ପ୍ରତିବାଦ କରିଥିଲେ। ରାସ୍ତା ଉପରେ ପୁଲିସ ବାହିନୀ ଓ ଉପଜିଲ୍ଲାପାଳଙ୍କ ସହ ତୁତୁ ମେମେ ବି ଚାଲିଥିଲା। ବଡ଼ବଡ଼ିଆଙ୍କୁ ମାଫ୍ କରି ଗରିବଙ୍କ ଉପରେ ଜୁଲମ ବୋଲି ସେମାନେ ଅଭିଯୋଗ କରିଥିଲେ। କ୍ଷତିଗ୍ରସ୍ତ ଲୋକଙ୍କୁ ଥାଇଥାନ ପାଇଁ ପଦକ୍ଷେପ ନିଆଯିବା ଉପରେ ପ୍ରଶାସନ ବିଚାର କରୁଛି ବୋଲି ଉପଜିଲ୍ଲାପାଳ କହିଥିଲେ। ରାସ୍ତାକୁ ଚଉଡ଼ା ତଥା ଉନ୍ନତ ମାନର ଡ୍ରେନ୍ ନିର୍ମାଣ ପାଇଁ କେବଳ ରାସ୍ତାକଡ଼ରେ ଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉଛି ବୋଲି ପ୍ରଶାସନ କହିଛି।
ଅତୀତରେ ସହରରେ ଜବରଦଖଲ ଉଚ୍ଛେଦକୁ ନେଇ ଶାସ୍ତ୍ରୀ ଛକରୁ ପୁରୁଣା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଚିହ୍ନଟ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇନାହିଁ। ମାଉସୀ ମନ୍ଦିର ଛକରୁ ଠିକାଦାର ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଜବରଦଖଲ ହୋଇ ଚି଼ହ୍ନବର୍ଣ୍ଣ ଲୁଚିଗଲାଣି। ହେଲେ ପ୍ରଶାସନ ନିରୀହ ଗରିବଙ୍କ ଉପରେ ଦାଉ ସାଧୁଛି ବୋଲି ଅଭିଯୋଗ ହୋଇଛି। ତେଣୁ ସହର ସମସ୍ତ ମୁଖ୍ୟ ରାସ୍ତା ଉପରୁ ଜବରଦଖଲ ହଟାଇବାକୁ ସାଧାରଣରେ ଦାବି ହେଉଛି। ଅନେକ ପ୍ରଭାବଶାଳୀ ବ୍ୟକ୍ତି ତଥା ବ୍ୟବସାୟୀ ସହରର ବିଭିନ୍ନ ମୁଖ୍ୟ ରାସ୍ତାକୁ ଜବରଦଖଲ କରିଥିବାରୁ ଏହାରି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହାରି ଉପରେ ଏବେ ସମସ୍ତଙ୍କ ନଜର ରହିଛି।
The post ବୁଲିଲା ଜେସିବି: ଜବରଦଖଲ ଉଚ୍ଛେଦରୁ ଉତ୍ତେଜନା first appeared on Sambad.from ଜିଲ୍ଲା | Sambad https://ift.tt/3r4Jzqq
0 Comments