ହରିଚନ୍ଦନପୁର : ଅଦିନିଆ ବର୍ଷାରେ ଏକର ଏକର ଧାନ ଫସଲ ସବୁ ଗଜା ହୋଇଯାଇଛି। ଉଭୟ  ବିଲରେ ଏବଂ ଧାନ ଖଳାରେ କଟା ଧାନ ସବୁ ଗଜା ହୋଇଯାଇଛି। ଏଭଳି କ୍ଷୟକ୍ଷତି ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ ଚକ୍ରଧରପୁର ଗ୍ରାମରେ।

ଚକ୍ରଧରପୁର ଗ୍ରାମଟି ବାରବାଙ୍କ ସଂରକ୍ଷିତ ଜଙ୍ଗଲ କଡ଼ରେ ରହିଥିବା ବେଳେ ଏଠାରେ ହାତୀ ଭୟ ରହିଛି। ହାତୀ ଭୟ ଯୋଗୁଁ ଚାଷୀମାନେ ଧାନ ରୋଇବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ମଞ୍ଚା କରି ଫସଲ ଜଗିଥାନ୍ତି। ଚାଷୀମାନେ ସାଧାରଣତଃ ଜଙ୍ଗଲ କଡ଼ ଜମି ଗୁଡିକରୁ ଭଲ ଭାବରେ ଧାନ ପାଚି ନଥିଲେ ମଧ୍ୟ ହାତୀ ଭୟରେ ଧାନ କାଟି ଦେଇଥାନ୍ତି। ଚଳିତ ବର୍ଷ ଚାଷୀମାନେ ଶୀଘ୍ର ଶୀଘ୍ର ଧାନ କାଟି ବିଲରେ ପକାଇ ଦେଇଥିଲେ। ଧାନ ବିଡ଼ା ଘରକୁ ଆଣିବା ପୂର୍ବରୁ ଲଗାଣ ବର୍ଷା ବ୍ୟାପକ କ୍ଷତି ଘଟାଇଲା। ପୁଣି ଖରା ହେବାପରେ ଚାଷୀମାନେ ବିଡ଼ା ବାନ୍ଧି ଧାନ ବିଡ଼ା ଘରକୁ ଆଣିବା ପରେ ୪ ଦିନ ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉଭୟ ଧାନ ଖଳାରେ ଏବଂ ବିଲରେ ସବୁ ଗଜା ହୋଇଗଲା।

ଚକ୍ରଧରପୁର ଗ୍ରାମର ଶ୍ୟାମସୁନ୍ଦର ମହାନ୍ତ, ମେଘାନନ୍ଦ ମହାନ୍ତ, ସୁଦର୍ଶନ ମହାନ୍ତ, ସନାତନ ମହାନ୍ତ, ଜଗ କିଶାନ, ଶୁକଦେବ ନାଏକ, କୁମର ମାନସିଂହ, ଅର୍ଜୁନ ମହାନ୍ତ, କୀର୍ତ୍ତନ ମହାନ୍ତ, ମକୁର ମହାନ୍ତ, ଲକ୍ଷ୍ମଣ ମହାନ୍ତ, ଧନୁ କିଶାନ, ଶିବ କିଶାନ, ପୀତବାସ ନାଏକ, କ୍ଷେତ୍ରବାସୀ ନାଏକ, ବିପିନ ବିହାରୀ ନାଏକ, ଗୋପବନ୍ଧୁ ନାଏକ, ଶଙ୍କର୍ଷଣ ନାଏକ, ମୁରଲୀ ନାଏକ, କ୍ଷମାକର ନାଏକ, ଦଶରଥ ନାଏକ, ପ୍ରଭାକର ଦଳେଇ, ଉମାକାନ୍ତ ଦଳେଇ, ପବିତ୍ର ଦଳେଇ, ଲାଲୁ ଦଳେଇ, ଗଣେଶ୍ୱର ନାଏକ  ପ୍ରମୁଖଙ୍କ ଏକ ଏକରରୁ ଦେଢ଼ ଏକର ଲେଖାଏଁ ଜମିର ଧାନ ସବୁ ଗଜା ହୋଇଯାଇଛି। ଗ୍ରାମର ପ୍ରାୟ ୭୫ ପ୍ରତିଶତ ଚାଷୀଙ୍କ ଜମିରେ ଧାନ ଗଜା ହୋଇଯାଇଥିବା ଚାଷୀ ଶ୍ୟାମ ସୁନ୍ଦର ମହାନ୍ତ ପ୍ରକାଶ କରିଛନ୍ତି। ଚାଷୀମାନେ ଗଜା ଧାନ ସବୁ ଅମଳ କଲେ ମଧ୍ୟ ସେଥିରୁ ଅଗାଡି ଅଧିକ ବାହାରୁଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବକୁ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି।

ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯେଉଁ ଚାଷୀମାନେ କୃଷି ବୀମା କରିଥିଲେ, ସେମାନେ ଟୋଲଫ୍ରି ନମ୍ବରରେ ସୂଚନା ଦେଲେ ସେମାନଙ୍କୁ ସହାୟତା ମିଳିବ ବୋଲି ଜଣାଇଛନ୍ତି। ତେବେ ଆସନ୍ତାକାଲି ଚକ୍ରଧରପୁର ଗ୍ରାମକୁ ଯାଇ ତଦନ୍ତ କରାଯିବ ବୋଲି କୃଷି ଅଧିକାରୀ  ଜଣାଇଛନ୍ତି।

The post ଅଦିନିଆ ବର୍ଷା ଉଜାଡ଼ିଲା, ପାଚିଲା ଧାନ ଗଜା ହେଲା first appeared on Sambad.

from ଜିଲ୍ଲା | Sambad https://ift.tt/3xhiWj6