
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରର ପୂଜକ ନିଯୁକ୍ତିକୁ ନେଇ ଦେଖା ଦେଇଛି ବିବାଦ। ଗତ ୧ ତାରିଖ ନୂଆ ପୂଜକ ଭାବେ ନିଯୁକ୍ତି ଦିଆଯାଇଛି ମଧୁସୂଦନ ଦିଶ୍ରିଙ୍କୁ। ଶ୍ରୀ ଦିଶ୍ରି ମନ୍ଦିରର ପୂର୍ବତନ ପୂଜକଙ୍କ ପୁଅ। କିନ୍ତୁ କିଛି ବର୍ଷ ହେଲା ମଧୁସୂଦନ ଇସ୍କନ ଧର୍ମ ଗ୍ରହଣ କରିଛନ୍ତି। ନିଜ ନାଁ ମଧ୍ୟ ପରିବର୍ତ୍ତନ କରି ମଧୁସୂଦନରୁ ମହାବାହୁ ଦାସ କରିଛନ୍ତି। ତାଙ୍କ ଭୋଟର ପରିଚୟ ପତ୍ରରେ ମଧ୍ୟ ମହାବାହୁ ଦାସ ଲେଖାଯାଇଛି। ଜଣେ ଇସ୍କନ ଧର୍ମର ଲୋକ ହିନ୍ଦୁ ଦେବଦେବୀମାନଙ୍କ ପୂଜା କରିପାରିବେ ନାହିଁ ବୋଲି କେଶରୀୟା ହିନ୍ଦୁ ବାହିନୀ କହିଛି।
ବୁଧବାର ସଂଗଠନ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ପୂଜକଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛି ସଂଗଠନ। ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ସଂଗଠନ କର୍ମକର୍ତ୍ତା। ଏହା ସହିତ ପୂଜକ ନକଲି ପରିଚୟପତ୍ର ତିଆରି କରିଥିବା ଅଭିଯୋଗ କରିଥିଲେ। ପ୍ରଶାସନ କିଛି ଦିନ ସମୟ ମାଗି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଉଠିଥିଲେ। ସେପଟେ ପୂଜକ ଦିଶ୍ରି ଇସ୍କନ ଧର୍ମ ନୁହେଁ, ଏହା ଏକ ଶିକ୍ଷା ବୋଲି କହିଛନ୍ତି। ସେ ପୂଜା କରିପାରିବେ ବୋଲି ମଧ୍ୟ କହିଛନ୍ତି। ଅନ୍ୟପଟେ ପୁରୀ ମୁକ୍ତିମଣ୍ଡପରୁ ଆସିଥିବା ଏକ ଚିଠିରେ ଇସ୍କନ ଭକ୍ତ ମନ୍ଦିରରେ ପୂଜା କରିପାରିବେ ନାହିଁ ବୋଲି ଉଲ୍ଲେଖ ଅଛି। ଏସବୁ ଭିତରେ ପୂଜକଙ୍କ ଇସ୍କନ ଅବତାରକୁ ନେଇ ଚର୍ଚ୍ଚା ଚାଲିଛି।
The post ପାଟଣେଶ୍ୱରୀ ମନ୍ଦିର ପୂଜକ ନିଯୁକ୍ତିକୁ ନେଇ ବିବାଦ first appeared on Sambad.from ଜିଲ୍ଲା | Sambad https://ift.tt/3cMp1dR
0 Comments