ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ‘ଫକୀରମୋହନ ସାହିତ୍ୟଘର’ ଉଦ୍‌ଘାଟିତ ହୋଇଯାଇଛି। ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଶିଶୁ ସାହିତ୍ୟିକ ତଥା ଅଧ୍ୟାପକ ଦାଶ ବେନହୁର, ବିଶିଷ୍ଟ କଥାଶିଳ୍ପୀ ବିଜୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ମହାପାତ୍ର କର୍ମକର୍ତ୍ତା ଭାବେ ସଭାରେ ଯୋଗ ଦେଇ କୁଳପତି ପ୍ରଫେସର ତ୍ରିପାଠୀ ନିଜର ପରିକଳ୍ପିତ ଯୋଜନା ଆଜି ‘ଫକୀରମୋହନ ସାହିତ୍ୟଘର’ ରୂପେ ବାସ୍ତବାୟିତ ହୋଇପାରିଥିବା ହେତୁ ଏଭଳି ପଦକ୍ଷେପ ସାହିତ୍ୟର ପ୍ରସାର ଓ ପ୍ରଭାବର ସମ୍ଭାବନା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ସାହିତ୍ୟଘର କେବଳ ଭାଷା ସାହିତ୍ୟ ବିଭାଗ ବା ସାହିତ୍ୟର ବିଷୟ ପରିସର ମଧ୍ୟରେ ସୀମିତ ହୋଇ ରହିବାର ମାନସିକତା ନରଖି ଏହାକୁ ସବୁ ବିଷୟ ସହିତ ଯୋଡ଼ି ସମସ୍ତଙ୍କ ଭିତରେ ଲୁକ୍କାୟିତ ଭାବରେ ରହିଥିବା ସର୍ଜନଶୀଳ ପ୍ରତିଭାର ଉନ୍ମୋଚନ କ୍ଷେତ୍ରରେ ଏହାର ଗୁରୁତ୍ୱକୁ ପ୍ରାଥମିକତା ଦେବା ଉଚିତ ବୋଲି କହିଥିଲେ। ପ୍ରଫେସର ଶ୍ରୀ ମହାପାତ୍ର ସ୍ବରଚିତ କବିତା ପାଠ କରିଥିବା ବେଳେ ବିଜୟ ନାୟକ ପ୍ରାଚୀନ ସାହିତ୍ୟ ଠାରୁ ଆରମ୍ଭ କରି ଆଧୁନିକ ତଥା ସାଂପ୍ରତି ସାହିତ୍ୟରେ ରୂପାୟିତ ହୋଇଥିବା ବହୁବିଧ ଦିଗ ଏବଂ ଯୁଗୀୟ ବୈଶିଷ୍ଟ୍ୟଗୁଡ଼ିକର ପ୍ରାସଙ୍ଗିକତାକୁ ତର୍ଜମା କରି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ବକ୍ତା ଭାବେ ଦାଶ ବେନହୁର ସାହିତ୍ୟ ଭିତରେ ସଂବେଦନା ରହିଥିବା ହେତୁ ପାଠକ ତଥା ସାମାଜିକ ମଣିଷ ଭିତରେ ସାଂସ୍କୃତିକ ମୂଲ୍ୟବୋଧକୁ ଜାଗ୍ରତ କରିବା କ୍ଷେତ୍ରରେ ସାହିତ୍ୟର ସର୍ବାଧିକ ଭୂମିକା ରହିଛି ବୋଲି ମତ ଦେଇଥିଲେ।

ସଂପ୍ରତି ଅଭିଭାବକ ମହଲରେ ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁ ସାହିତ୍ୟ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉନଥିବା ହେତୁ ସେମାନଙ୍କ ଭିତରେ ସାହିତ୍ୟ ପ୍ରତି ଅନୁରାଗ କ୍ରମଶଃ କ୍ଷୀଣ ହେଇଯାଉଥିବାର ଲକ୍ଷ୍ୟ କରାଯାଉଛି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର ପାଠ୍ୟକ୍ରମରେ ଶିଶୁ ସାହିତ୍ୟକୁ ବିଷୟବସ୍ତୁ ରୂପେ ସ୍ଥାନ ଦେବାର ପ୍ରାସଙ୍ଗିକତା ରହିଛି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗର ଅଧ୍ୟାପକ ଡ. ଦେବାଶିଷ ପାତ୍ର ସଂଯୋଜନା କରିବା ସହିତ ଅତିଥି ପରିଚୟ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସବୁ ବିଷୟର ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କର ଯୋଗଦାନ ସେମାନଙ୍କର ଜୀବନ ନିର୍ମାଣରେ ଉପକାର ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ବାଲେଶ୍ବରର ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟ ଅନୁରାଗୀ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଥିଲେ। ବିଭାଗର ଛାତ୍ରୀମାନେ ବିଶ୍ବବିଦ୍ୟାଳୟର ସଂଗୀତ ପରିବେଷଣ କରିଥିଲେ। ପାଠଚକ୍ରର ସଂପାଦକ ବାବୁଲୁ ପ୍ରଧାନ ଧନ୍ୟବାଦ ଦେଇଥିଲେ।

The post ଉଦ୍‌ଘାଟିତ ହେଲା ‘ଫକୀରମୋହନ ସାହିତ୍ୟଘର’ first appeared on Sambad.

from ଜିଲ୍ଲା | Sambad https://ift.tt/3GTJsn0