ରାଉରକେଲା: ନକ୍ସଲ କମାଣ୍ଡର ପ୍ରଶାନ୍ତ ‌ବୋଷ ଓରଫ୍‌ କିଶନଜୀ ଓ ତାଙ୍କ ପତ୍ନୀ ଶୀଲା ମରାଣ୍ଡିଙ୍କୁ ଗତ ଶୁକ୍ରବାର ଝାଡ଼ଖଣ୍ଡ ପୁଲିସ ଗିରଫ କରିଥିଲା। ସେମାନଙ୍କ କାରବାରର ଖୋଳତାଡ଼ ପରେ ପୋଲିସ ହାତରେ ଗଦା ଗଦା ତଥ୍ୟ ଲାଗିଛି। ୭ଟି ରାଜ୍ୟର ମୁଖ୍ୟ ପ୍ରଶାନ୍ତ ସିପିଆଇ ମାଓବାଦୀ ରାଜନୈତିକ ପ୍ରତିନିଧି ସଦସ୍ୟ ଥିଲେ। ଉଭୟ ପତି-ପତ୍ନୀଙ୍କ ନାଁରେ ରାଉରକେଲା ଜିଲ୍ଲା ପୁଲିସ ଅଧୀନରେ ଅନେକ ମାମଲା ରହିଛି। ବିଶେ‌ଷ କରି ଚାନ୍ଦିପୋଷ, ବିଶ୍ରା, କେ. ବଲାଙ୍ଗ, କୋଇଡା ଥାନାରେ ଏକାଧିକ ମାମଲା ରହିଥିଲା। ୨୦୦୬ ଚନ୍ଦ୍ରପୋଷ ଜଙ୍ଗଲରୁ ପ୍ରଶାନ୍ତଙ୍କ ପତ୍ନୀ ଶୀଲାଙ୍କୁ ପୁଲିସ ଗିରଫ କରି ରାଉରକେଲା ଜେଲକୁ ପଠାଇଥିଲା। ୧୦ ବର୍ଷ ରହିବା ପରେ ଗତ ୨୦୧୬ରେ ରାଉରକେଲା ଜେଲ୍‌ରୁ ମୁକ୍ତ ହୋଇଥିଲେ। ପରେ ଶୀଲା ପୁଣି ତାଙ୍କ ସ୍ବାମୀ ପ୍ରଶାନ୍ତଙ୍କ ସହ ଯୋଗଦେଇ ନକ୍ସଲ ସଙ୍ଗଠନର ନେତୃତ୍ବ ନେଇଥିଲେ।

ପ୍ରଶାନ୍ତଙ୍କ ନାଁରେ ଲ୍ୟାଣ୍ଡମାଇନ୍‌  ଦ୍ବାରା କାଲ୍‌ଟା ପୁଲିସ ଫାଣ୍ଡିକୁ ଉଡାଇବା, ୨୦୧୦ରେ କେ. ବଲାଙ୍ଗ ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର ରେହ୍ଲାହାତୁ ସରକାରୀ ସ୍କୁଲ୍‌ କୋଠାକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ବି- ଝାରବେଡା, ଲଙ୍ଗଳକଟା ଗ୍ରାମରେ ତିନିଟି ସରକାରୀ କୋଠାକୁ ବିସ୍ଫୋରଣ ଘଟଣାରେ ପ୍ରଶାନ୍ତର ହାତ ରହିଥିଲା। ସେମିତି ୨୦୧୧ରେ ବନ୍ଧମୁଣ୍ଡା-ବିଶ୍ରା ମୁଖ୍ୟ ରାସ୍ତାର କୁକୁଡା ରେଳ ଫାଟକକୁ ଲ୍ୟାଣ୍ଡମାଇନ୍‌ ଦ୍ବାରା ବିସ୍ଫୋରଣ କରି ଉଡାଇ ଦେବା ସହ ନିଆଁ ଲଗାଇଦେବା ଘଟଣାରେ ବି ପ୍ରଶାନ୍ତର ହାତ ଥିଲା। ଏଥିସହ ପ୍ରଶାନ୍ତ ବିଶ୍ରା ବ୍ଲକରେ ନକ୍ସଲ ସଙ୍ଗଠନକୁ ମଜବୁତ କରି ରଖିଥିଲା। ପୂର୍ବ ଆଞ୍ଚଳିକ ବ୍ୟୁରୋ ସଚିବ ଭାବେ ପ୍ରଶାନ୍ତ ଦୀର୍ଘ ଦିନ ଧରି ସୀମାନ୍ତ ସରଣ୍ଡା ଜଙ୍ଗଲରେ ବେଶ୍‌ ସକ୍ରିୟ ଥିଲା। ସରଣ୍ଡା ଛୋଟା ନାଗପୁର ସିପିଆଇ ମାଓବାଦୀ ଜୋନାଲ କମିଟିର ମୁଖ୍ୟ ଅନ୍‌ମୋଲ ସହ ମିଶି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିଥିଲା। ଫଳସ୍ବରୂପ ପ୍ରାୟ ୮ ବର୍ଷ ଧରି  ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ୭ ପଞ୍ଚାୟତରେ ସିପିଆଇ ମାଓବାଦୀ ସଙ୍ଗଠନ ବେଶ୍‌ ସକ୍ରିୟ ରହିଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଅଞ୍ଚଳରେ ଅନେକ ନକ୍ସଲ ପ୍ରଶାନ୍ତ ଅଧୀନରେ ପ୍ରଶିକ୍ଷଣ ନେଉଥିଲେ। ସଙ୍ଗଠନର ମୁଖ୍ୟ ଅନମୋଲ୍‌ ପ୍ରଶାନ୍ତର ନିର୍ଦ୍ଦେଶକ୍ରମେ ସୀମାନ୍ତରେ ଅନେକ ହିଂସାକାଣ୍ଡ ଘଟାଉଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସରଣ୍ଡାର ଛୋଟା ନାଗପୁର ଜୋନାଲ ମାଓ କମିଟିକୁ ମଜବୁତ କରିବାରେ ପ୍ରଶାନ୍ତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

The post ନକ୍ସଲ କମାଣ୍ଡର କିଶନଜୀ ଓ ତାଙ୍କ ପତ୍ନୀ ଗିରଫ ଘଟଣା : ରାଉରକେଲାରେ ରହିଛି ଅନେକ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3cbvWNn