ମଣ୍ତଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ତଥା ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମରେ ଜଣେ ମହିଳା ଚନ୍ଦ୍ରକାନ୍ତି ବାରିକଙ୍କ ମୃତଦେହକୁ ଘର ଭିତରୁ ପୁଲିସ ଉଦ୍ଧାର କରିଛି। ଏ ନେଇ ମୃତ ଚନ୍ଦ୍ରକାନ୍ତିଙ୍କ ଭାଇ କେଶବ ବାରିକ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୁଲିସ ଚନ୍ଦ୍ରକାନ୍ତିଙ୍କ ସ୍ବାମୀ ଅର୍ଜୁନ ରାଏ ଓ ଶାଶୂଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଚନ୍ଦ୍ରକାନ୍ତିଙ୍କ ଶ୍ବଶୁର ଗୋପ ରାଏ ଓ ଅନ୍ୟ ସଂପର୍କୀୟମାନେ ଫେରାର୍‌ ହୋଇଯାଇଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଚନ୍ଦ୍ରକାନ୍ତିଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଅନେକ ଥର କଳହ ହୋଇ ସମାଧାନ ବି ହୋଇଥିଲା। ଗତ ଗୁରୁବାର ରାତି ପ୍ରାୟ ୩ଟାରେ ଗୋପ ଫୋନ୍‌ ଯୋଗେ ଚନ୍ଦ୍ରକାନ୍ତିଙ୍କ ମୃତ୍ୟ ଖବର ତାଙ୍କ ଭାଇ କେଶବଙ୍କୁ ଜଣାଇଥିଲେ। କେଶବ ଭଉଣୀ ଘରକୁ ଆସି ସେଠାରେ  ଚନ୍ଦ୍ରକାନ୍ତିଙ୍କ ଶବ ଖଟିଆରେ ପଡ଼ିଥିବା ଦେଖିଥିଲେ।

ଶ୍ବଶୁର ଘର ଲୋକେ ଚନ୍ଦ୍ରକାନ୍ତିଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ନେଇ କେଶବ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ। ମାଜି‌ଷ୍ଟ୍ରେଟ ଭାବେ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପଧାନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଶୁକ୍ରବାର ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ କରିଛି। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ନଂ. ୨୭୦/୨୧ରେ ଏକ ମାମଲା ରଜୁ କରି ଗିରଫ ଦ୍ବୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସି ରମାକାନ୍ତ ସାହୁ କହିଛନ୍ତି। ଚନ୍ଦ୍ରକାନ୍ତି ବେଲପଡ଼ା ସଦରମହକୁମା ହରିଜନ ପଡ଼ାର କାଳିଆ ବାରିକଙ୍କ ଝିଅ। ୮ ବର୍ଷ ତଳେ କନ୍ଧେନଝୁଲା ଗାଁର ଗୋପଙ୍କ ପୁଅ ଅର୍ଜୁନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ୨ ପୁଅ ଅଛନ୍ତି।

The post ମହିଳାଙ୍କୁ ତଣ୍ଟିଚିପି ହତ୍ୟା: ସ୍ବାମୀ, ଶାଶୁ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3DsO40E