ଦେଓଗାଁ: ସରକାର ପ୍ରତି ମାସ ୧ତାରିଖରେ ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତମେମାନେ ଏହି ନିୟମକୁ ମାନୁନ କି ତମ ବିଇଓ ଅଫିସ ଆସୁ ନାହିଁ। ମୋ ଭାଇ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ। ମୁଁ ବୋମାରେ ବିଇଓ ଅଫିସକୁ ଉଡ଼ାଇ ଦେବି। ମୋର କେହି କିଛି କରିପାରିବ ନାହିଁ। ଘରର ସମସ୍ତଙ୍କୁ ହାଣିବି ବୋଲି ଜଣେ ଶିକ୍ଷକ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବିଇଓ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଧମକ ଦେଇଛନ୍ତି। ଏନେଇ ଦେଓଗାଁ ଥାନାରେ ଗତ ଗୁରୁବାର ଅଭିଯୋଗ ହୋଇଛି। ‘ସମ୍ବାଦ’ ହାତରେ ଧମକର ଅଡିଓ ଟେପ୍‌ ବି ଲାଗିଛି।

ଅଭିଯୋଗକୁ ନେଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ଧମକ ଦେଇଥିବା ଶିକ୍ଷକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଦେଷଣ୍ଢ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୟ ସାହୁ ଫୋନ୍‌ ଯୋଗେ ଏପରି ଧମକ ଦେଇଥିବାର ଅଭିଯୋଗ ହୋଇଛି। ଦେଓଗାଁ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଦୁର୍ବାଦଳ ସାହୁଙ୍କୁ  ହତ୍ୟା ଧମକ ଦେଇ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବି ବୋଲି କହିବାରୁ ଆତଙ୍କିତ ହୋଇପଡ଼ିଛନ୍ତି କର୍ମଚାରୀ ଜଣକ।

ଏ ନେଇ ସେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ଫୋନ୍‌ ଯୋଗେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଶିକ୍ଷକ ଜଣକ ହତ୍ୟା ଧମକ ଦେଇଥିବା ଜଣାପଡ଼ିବା ପରେ ପୁଲିସରେ ଅଭିଯୋଗ କରାଯାଇଛି। ସେହିପରି ଶିକ୍ଷକଙ୍କୁ ପ୍ରଥମେ କାରଣଦର୍ଶାଅ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଘଟଣା ଉପରେ ଅସନ୍ତୋଷ ପ୍ରକାଶ କରି ବ୍ଲକ୍‌ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଦେଓଗାଁ ବିଇଓଙ୍କ ସହ ଆଲୋଚନା କରୁଥିବାର ଖବର ମିଳିଛି। ଦେଓଗାଁ ଥାନା ଅଧିକାରୀ ବାମଦେବ ସଂଖୁଆଳଙ୍କୁ ପଚାରିବାରୁ ଶନିବାର ସୂଚନା ଦିଆଯିବ ବୋଲି ସେ କହିଥିଲେ।

The post ‘ମୋ ଭାଇ ଉଚ୍ଚଶିକ୍ଷା ମନ୍ତ୍ରୀ, ବୋମାରେ ବିଇଓ ଅଫିସ ଉଡ଼ାଇ ଦେବି’ first appeared on Sambad.

from ଜିଲ୍ଲା | Sambad https://ift.tt/31l37wm