ଜୟପାଟଣା/କୋକସରା: ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ୍‌ ଅଛି। ଏହି କାରଣ ଦର୍ଶାଇ ଡ୍ୟାମ୍‌ କର୍ତ୍ତୃପକ୍ଷ ୩୨ କିମି ପର୍ଯ୍ୟନ୍ତ (ଜଳତାମୁଣ୍ଡା ଗେଟ୍‌) ପ୍ରଥମ ପର୍ଯ୍ୟାୟରେ ରବି ଧାନ ଚାଷ ପାଇଁ ଜଳସେଚନ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ତଳମୁଣ୍ଡର ଚାଷୀମାନେ ବିରୋଧ କରିଛନ୍ତି।

ରବି ଧାନ ଚାଷ ପାଇଁ ଇନ୍ଦ୍ରାବତୀ ବାମ କେନାଲ୍‌ ଜଳତାମୁଣ୍ଡାରୁ ପୋଢ଼ବେଡ଼ା ଡିଷ୍ଟ୍ରିବ୍ୟୁଟାରି ଆଉ ୧୦ କିମି ଦୂରରେ ରହିଛି। ତେଣୁ ସମୁଦାୟ  ୪୨ କିମି ପର୍ଯ୍ୟନ୍ତ ଜଳସେଚନ ଦାବିରେ ସୋମବାର ଚାଷୀନେତା ଦେବେନ୍ଦ୍ର ପାଟଯୋଶୀଙ୍କ ନେତୃତ୍ୱରେ ଚାଷୀ ଲିଙ୍ଗରାଜ ବେହେରା, ଟିକଚନ ଛତ୍ରିଆ, ଲବକନ୍ତ ନାଏକ, ସୁଦର୍ଶନ ବେହେରା, ତପନ ମୁଣ୍ଡ, ପରମେଶ୍ବର ବାଗ, କୁଶଧର ବେହେରା ପ୍ରମୁଖ ଚାଷୀ ମୁଖୀଗୁଡ଼ା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଜଳସେଚନ ଦାବିରେ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି।

ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜଳସେଚନ ପାଇଁ ଚାଷୀମାନେ ଅଭିଯୋଗ କରିଥିଲେ। ପରେ ଚାଷୀ କମିଟି କରିବାକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡିଭିଜନ୍‌ ଅଫିସରେ ଆଲୋଚନା ହୋଇଥିଲା। ଏହାପରେ ବି ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ କୌଣସି ନିର୍ଭର ପ୍ରତିଶ୍ରୁତି ମିଳିନାହିଁ। ତେଣୁ ବାଧ୍ୟ ହୋଇ ଅଫିସ୍‌ ଘେରାଉ କରି ଜଳସେଚନ ଦାବିକୁ ତୀବ୍ର କରିଛନ୍ତି।

The post ଜଳସେଚନ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଫିସ୍‌ ଘେରିଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3Gnc7zA