
କଲମପୁର: କଲମପୁର ବ୍ଲକ୍ ଇଚ୍ଛାପୁର ଗ୍ରାମର ମା’ଲଙ୍କେଶ୍ୱରୀ ଏସ୍ଏଚ୍ଜି ଦ୍ୱାରା ପରିଚାଳିତ ମଣ୍ଡିରେ ସୋମବାର ଧାନ କ୍ରୟ ଏବଂ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଖରାପ ପାଗ ପାଇଁ ୭ଜଣ ଚାଷୀଙ୍କ ଧାନ କିଣା ହୋଇଛି। ମଣ୍ଡିରେ ପାଣି ପଞ୍ଚାୟତ ସଭାପତି ଧନଞ୍ଜୟ ମାଝୀଙ୍କ ସଭାପତିତ୍ୱରେ ଏକ ବୈଠକ ହୋଇଥିଲା। ମଣ୍ଡି ଶୃଙ୍ଖଳିତ ପରିଚାଳନା ପାଇଁ ଏକ ଚାଷୀ କମିଟି ଗଠନ କରାଯାଇ ସଭାପତି ଭାବେ ଚାଷୀ ଜ୍ଞାନବନ୍ତ ବେହେରା, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ଶର୍ମା, ସମ୍ପାଦକ ଭୋଦେବ ପୁଝାରୀ, ସହ ସମ୍ପାଦକ ଗଗନ ବିହାରୀ ନାଏକଙ୍କୁ ଚୟନ କରାଯାଇଛି।
ଆଗାମୀ ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲ୍ ବିଭାଗ ତରଫରୁ ଜଳଯୋଗାଣ ବନ୍ଦ କରାଯାଉଛି। ଏଥିପାଇଁ କଟନି ଛଟନି କୋହଳ କରିବାକୁ ସମସ୍ତେ ଆଲୋଚନା କରି ଧାନ କ୍ରୟ ସଂସ୍ଥାର ସଭାନେତ୍ରୀ ସନମତି ବଗର୍ତି, ସମ୍ପାଦିକା ବିଷ୍ଣୁପ୍ରିୟା ବେହେରୁକ ଏବଂ ରାଇସ ମିଲ୍ ଏଜେଣ୍ଟ ଭୁଜବଳ କରୁଆଁ, ଧରଣୀ ସାହୁଙ୍କୁ ପ୍ରସ୍ତାବ ରଖିଥିଲେ। କିନ୍ତୁ ମିଲ୍ ମାଲିକ ମାନେ କ୍ୱିଣ୍ଟାଲରେ ୫କେଜି ଅଧିକ ନେବା ପାଇଁ ଅଡ଼ି ବସିଥିଲେ।
ଚାଷୀମାନେ ରାଜି ହେବାପରେ ମୁଖୀଗୁଡ଼ା ନିୟନ୍ତ୍ରିତ ବଜାର କମିଟିରୁ ଆସିଥିବା କର୍ମଚାରୀ ମଧୁସୂଦନ ପାତ୍ର, ଗୌରହରି ବିହାର, ମାନସ ନାଗ, ରବୀନ୍ଦ୍ର ପ୍ରଧାନୀ ଧାନର ଆର୍ଦ୍ରତା ଏବଂ ମାନ ପରୀକ୍ଷା କରିଥିଲେ। ଏହାପରେ ୭ ଜଣ ଚାଷୀଙ୍କ ଧାନ ଓଜନ କରାଯାଇ ଲିପଟିଙ୍ଗ୍ ହୋଇଥିଲା। ବସ୍ତା, ଟ୍ରକ୍, ଟାର୍ଗେଟ୍ ଭଳି ବିଭିନ୍ନ ଆଳ ଦେଖାଇ ହଇରାଣ ନକରାଯାଉ ବୋଲି ଚାଷୀମାନେ ଦାବି କରିଥିଲେ।
The post କ୍ବିଣ୍ଟାଲକୁ ୫ କେଜି କଟନିରେ ଉଠିଲା ଇଚ୍ଛାପୁର ମଣ୍ଡି ଧାନ first appeared on Sambad.from ଜିଲ୍ଲା | Sambad https://ift.tt/3GjoGw6
0 Comments