ଭବାନୀପାଟଣା : ଏପର୍ଯ୍ୟନ୍ତ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ କେଉଁଠି ହେବ ଚୂଡ଼ାନ୍ତ ହୋଇନାହିଁ। କିନ୍ତୁ ଭବାନୀପାଟଣା ମୁଖ୍ୟ ବସ୍‌ଷ୍ଟାଣ୍ଡକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ତରତର ହେଉଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପଡ଼ିଆକୁ ଅସ୍ଥାୟୀ ବସଷ୍ଟାଣ୍ଡ ନିମନ୍ତେ ବ୍ୟବହାର ପାଇଁ ପ୍ରସ୍ତାବ ରହିଥିଲା। ଏହି ଚିଠିକୁ ପୁନଃ ବିଚାର କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଆଜି ଚିଠି ଦେଇଛନ୍ତି। ଏହାପରେ ପ୍ରଶାସନ ପାଇଁ ଅଡ଼ୁଆ ବଢ଼ିଛି।

ଭବାନୀପାଟଣା ମୁଖ୍ୟ ବସଷ୍ଟାଣ୍ଡକୁ ଭଙ୍ଗାଯାଇ ଏହା ସମ୍ମୁଖରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ବୁଧବାର ବସଷ୍ଟାଣ୍ଡକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକଲିନ୍‌ ଲଗାଇଥିଲା। ଦୋକାନୀମାନଙ୍କ ବିରୋଧ ପରେ ବାଧ୍ୟ ହୋଇ ଭଙ୍ଗା କାର୍ଯ୍ୟକ୍ରମକୁ ବାତିଲ କରିଥିଲା। ଗୁରୁବାର ସନ୍ଧ୍ୟାରେ ପୁଣି ଭାଙ୍ଗିବା ପାଇଁ ପ୍ରଶାସନ ପକଲିନ୍‌ ମେସିନ୍‌ ଆଣିଥିଲା। କିନ୍ତୁ ଆଜି ବି ବସଷ୍ଟାଣ୍ଡ ଭଙ୍ଗାଯାଇ ପାରି ନାହିଁ। ଗୁରୁବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଓଏସ୍‌ଆରଟିସି ପକ୍ଷରୁ ବାଧ୍ୟ ହୋଇ ଆଉ ଏକ ଚିଠି କରାଯାଇଛି। ଏଥିରେ ସମସ୍ତ ଦୋକାନୀଙ୍କୁ ୭ଦିନ ମଧ୍ୟରେ ୩ଲକ୍ଷ ୫ହଜାର ଟଙ୍କା ଭଡ଼ା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ନିର୍ମିତ ହେବାକୁଥିବା ବସଷ୍ଟାଣ୍ଡରେ ସେମାନଙ୍କୁ ଦୋକାନ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଗୁରୁବାର କଳାହାଣ୍ଡି ବଣିକ ସଂଘ ପରିବହନ ନିଗମ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ କିଭଳି ଭାବରେ ଭଡ଼ା ଆଦାୟ ପାଇଁ ଚିଠି କରାଯାଇଛି ବୋଲି ପ୍ରତିବାଦ କରିଥିଲେ।

ଅନ୍ୟପଟେ ଅସ୍ଥାୟୀ ବସଷ୍ଟାଣ୍ଡ୍‌ କେଉଁଠି ହେବ ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତ ଉପୁଜିଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ପାଇଁ କଳାହାଣ୍ଡି ଜିଲ୍ଲାପାଳ ଚିଠି ଲେଖିଥିଲେ। ଏହାର ଜବାବରେ ଗୁରୁବାର ଦିନ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଏହି ଚିଠିର ପୁନଃ ବିଚାର ପାଇଁ ପାଲଟା ଚିଠି ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏହି ଖେଳପଡ଼ିଆରେ ଆସନ୍ତା ଜାନୁଆରି ମାସରେ ଅନ୍ତଃବିଶ୍ୱବିଦ୍ୟାଳୟ ଆଥଲେଟିକ୍‌ ଆଣ୍ଡ୍‌ ସ୍ପୋର୍ଟସ ମିଟ୍‌ ହେବ। ଏହାସହ ପଡ଼ିଆକୁ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି। ଅସ୍ଥାୟୀ ବସଷ୍ଟାଣ୍ଡ ପ୍ରସ୍ତାବକୁ ଆଲୁମ୍‌ନି ଆସୋସିଏସନ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆନ୍ଦୋଳନ ଚେତାବନୀ ଦେଇଥିବାରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ତେଣୁ ଖେଳପଡ଼ିଆରେ ବସଷ୍ଟାଣ୍ଡ ନକରିବାକୁ ଅନୁରୋଧ କରାଯାଇଛି।

ବିଶ୍ୱବିଦ୍ୟାଳୟର ଏହି ଚିଠି ପରେ ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ବସଷ୍ଟାଣ୍ଡର ସମ୍ମୁଖରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ନକରି ପ୍ରଶାସନ ବସଷ୍ଟାଣ୍ଡକୁ ଭାଙ୍ଗିବା ଜିଦ ଧରିଥିବାରୁ ସହରରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି। ବସଷ୍ଟାଣ୍ଡ ନିର୍ମାଣ ଏବଂ ଦୋକାନୀମାନଙ୍କ ଉଚ୍ଛେଦ ଏକ ବଡ଼ଧରଣର ରାଜନୈତିକ ଷଡ଼୍‌ଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୌର ନିର୍ବାଚନରେ ବସ୍‌ଷ୍ଟାଣ୍ଡ୍‌ ଭଙ୍ଗାକୁ ବିରୋଧୀମାନେ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ସଜବାଜ ହେଲେଣି।

The post ଭବାନୀପାଟଣା ଅସ୍ଥାୟୀ ବସ୍‌ଷ୍ଟାଣ୍ଡକୁ ନେଇ ଅଡୁଆ ବଢ଼ିଲା first appeared on Sambad.

from ଜିଲ୍ଲା | Sambad https://ift.tt/3pgcpBq