ସୁନ୍ଦରଗଡ଼ : ତଳସରା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସର ଟାଣୁଆ ଆଦିବାସୀ ନେତା  ଡ. ପ୍ରଫୁଲ୍ଲ ମାଝୀ ବିଧିବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି। ସୋମବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ଇସ୍ତଫା ପତ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି। କଂଗ୍ରେସରୁ ଡ. ମାଝୀଙ୍କ ଇସ୍ତଫା ଓ ବିଜେଡିରେ ଯୋଗ ଦେବା ଘୋଷଣା ପରେ ସୁନ୍ଦରଗଡ଼ ରାଜନୈତିକ ପାଣିପାଗ ଉଷୁମ ହୋଇଯାଇଛି। କଂଗ୍ରେସରୁ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ପରେ ପ୍ରଫୁଲ୍ଲଙ୍କ ଇସ୍ତଫା ଦଳକୁ ଝଟକା ଦେଇଥିବା ବେଳେ ରାଜନୈତିକ ମହଲରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ୨୦ ବର୍ଷ ଶାସନରେ  ମୁଖ୍ୟମନ୍ତ୍ରୀଙ୍କ ପ୍ରଖର ଲୋକପ୍ରିୟତା ସତ୍ତ୍ବେ ସୁନ୍ଦରଗଡ଼ ଓ ତଳସରା ବିଧାନସଭା ସହ  ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ଖାତା ଖୋଲି ପାରି ନାହିଁ। ଏପରିକି ବହୁ ଆଶା ନେଇ  ଦୁଇ ଥରର ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ସାମିଲ କରିବା ପରେ ମଧ୍ୟ ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ବିଧାନସଭାରେ ବିଜେଡିକୁ  ନିରାଶ ହେବାକୁ ପଡ଼ିଥିଲା। ସେହିପରି ତଳସରା ବିଧାନସଭାରେ ମଧ୍ୟ ବିଜେଡି ବିଜୟର ସ୍ବାଦ ଚାଖିପାରି ନାହିଁ ।

ଏସ୍ଥିତିରେ  ପ୍ରଫୁଲ୍ଲଙ୍କ  ଯୋଗଦାନ ଦଳକୁ କେତେ ସହାୟକ ହେବ ଓ ୨୦୧୯ ନିର୍ବାଚନରେ ପରାଜୟର ମୁହଁ ଦେଖିଥିବା ପ୍ରଫୁଲ୍ଲଙ୍କ ରାଜନୈତିକ ଭବିଷ୍ୟତ ଏଥିରେ କେତେ ଲାଭ ପାଇବ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି। ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ସ୍ଥାନୀୟ ବିଜେଡିର ଏକ କ୍ଷମତାଶାଳୀ ଗୋଷ୍ଠୀ ଗ୍ରହଣ କରିପାରି ନଥିଲେ। କେବଳ ଦଳର ମୁଖ୍ୟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ନପାରି ହାତ ଟେକି ଦେଇଥିଲେ। କିନ୍ତୁ ନିର୍ବାଚନରେ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ଇଙ୍ଗିତରେ ଏହି ଗୋଷ୍ଠୀ ଯୋଗେଶଙ୍କ ବିଜୟ ପରିବର୍ତ୍ତେ ପରାଜୟ ପାଇଁ ଅଣ୍ଟା ଭିଡ଼ିଥିଲେ। ଏବେ ପ୍ରଫୁଲ୍ଲ ବିଜେଡିକୁ ଆସିବା ପରେ ତାଙ୍କୁ ସ୍ଥାନୀୟ ନେତୃତ୍ବ କେତେ ଦୂର ଗ୍ରହଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ତଳସରାର ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା  ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ବାଇଁ ଡ. ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭେଦ୍ୟ ଗଡ଼ ଥିବା ତଳସରା ବିଧାନସଭାରୁ ୨୦୦୬ ଉପ ନିର୍ବାଚନ ସମେତ ଲଗାତର ୩ ଥର ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସର ଏହି ଗଡ଼ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ବିଜେପିର ଭବାନୀ ଭୋଇ ପରାଜୟର ଦ୍ବାର ଦେଖାଇଥିଲେ।  ୨୦୦୯ରେ ପ୍ରଫୁଲ୍ଲ ମାଝୀ ୪୪୦୮୨ ଭୋଟ ପାଇ  ୧୯୭୪୧ ଭୋଟ ବ୍ୟବଧାନରେ ବିଜେପିର ସହଦେବ ଖାଖାଙ୍କୁ ପରାଜିତ କରିଥିଲେ। ସେହିପରି ୨୦୧୪ରେ ସେ ୪୫୬୮୯ ଭୋଟ ପାଇ ବିଜୟୀ ହୋଇଥିଲେ ମଧ୍ୟ ଭୋଟ ବ୍ୟବଧାନ ପୂର୍ବ ନିର୍ବାଚନ ତୁଳନାରେ ବହୁ ତଳକୁ ଖସି ଆସିଥିଲା। ଏଥିରେ ସେ ମାତ୍ର ୧୪୩୮ ଭୋଟରେ ବିଜେଡିର  ବିନୟ ଟପ୍ପୋଙ୍କୁ ପରାଜିତ କରିଥିଲେ। ଆଉ ୨୦୧୯ ନିର୍ବାଚନରେ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏବେ ପ୍ରଫୁଲ୍ଲ ସୁନ୍ଦରଗଡ଼ ଲୋକସଭା ଆସନକୁ ଆଖି ଆଗରେ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଡ. ମାଝୀ  ପରୋକ୍ଷରେ ଏହା ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକସଭା ଆସନରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ଟିକଟ ନଦେଇ ନିରାଶ କରିଥିଲା, ଦଳକୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରିଥିବାରୁ ଶେଷକୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା ସେ କହିଥିଲେ। ତେବେ ପ୍ରଫୁଲ୍ଲଙ୍କ ଏହି ଅପ୍ରକାଶିତ ଆଶା  ଦଳର ମହିଳା ନେତ୍ରୀ ତଥା ୨୦୧୯ ନିର୍ବାଚନର ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳଙ୍କୁ ଅଡ଼ୁଆରେ ପକାଇପାରେ ବୋଲି ଆଲୋଚନା ହେଉଛି। ଶ୍ରୀମତୀ ବିଶ୍ବାଳ ପରାଜୟ ପରେ ମଧ୍ୟ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଦଳରେ ପୂର୍ବାପେକ୍ଷା  ସକ୍ରିୟ ରହିଛନ୍ତି। ଏସ୍ଥିତିରେ ପ୍ରଫୁଲ୍ଲଙ୍କ ଆକସ୍ମିକ ପ୍ରବେଶକୁ ସେ ଓ ତାଙ୍କ ସମର୍ଥକ କିପରି ଗ୍ରହଣ କରିବେ ତାହା ଦେଖିବାର କଥା। ଅନ୍ୟପଟେ ତଳସରା ବିଧାନସଭା ଆସନ ପାଇଁ ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ ଓ ୨୦୧୯ ନିର୍ବାଚନରେ ପରାଜିତ  ଯୁବନେତା ଷ୍ଟିଫେନ ସୋରେଙ୍ଗଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବା ବେଳେ ଏଥିରେ ଡ. ମାଝୀ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ତାହା ମଧ୍ୟ ଏକ ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି। ତେବେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ  ନିର୍ବାଚନ ଥିବାବେଳେ ଖାସ୍ କରି ତଳସରା ବିଧାନସଭା କ୍ଷେତ୍ରରେ ଡ. ମାଝୀଙ୍କ ପରିବାପଣିଆକୁ ଦଳ ପରଖିବ ଓ ଏଥିରେ ସଫଳ ହେବା  ପରେ ତାଙ୍କୁ ଆଗକୁ ବଢ଼ିବାକୁ ଦେବ ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ତାଙ୍କୁ ଦଳର ସ୍ଥାନୀୟ ନେତା, କର୍ମୀମାନେ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

The post ୧୦ରେ ବିଜେଡିର ହାତ ଧରିବେ ପ୍ରଫୁଲ୍ଲ, ଫିଟିବ କି ବିଜେଡି ଓ ପ୍ରଫୁଲ୍ଲଙ୍କ ଭାଗ୍ୟ !   first appeared on Sambad.

from ଜିଲ୍ଲା | Sambad https://ift.tt/31AYcaa