
ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆରେ ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି। ବାଇକ୍ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ସାତକୋଶିଆ ପଞ୍ଚାୟତ ବାଲିଘାଟ ଗ୍ରାମର ଲକ୍ଷ୍ମଣ ନାଏକଙ୍କ ପୁଅ ଶ୍ରୀତମ ନାଏକ ଅସୁସ୍ଥ ଥିଲେ। ପୁଅ ପାଇଁ ଔଷଧ ନେବାକୁ ଲକ୍ଷ୍ମଣ ଆଜି ଡାକ୍ତରଖାନା ଆସିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାବେଳେ ଔଷଧ ନେଇ ଡାକ୍ତରଖାନାରୁ ବାହାରୁଥିବା ବେଳେ ଫାଟକ ପାଖ ଦେଇ ଯାଇଥିବା ୧୧ କେଭି ତାର ଛିଣ୍ଡି ପଡ଼ିଥିଲା। ଏହା ପୂର୍ବରୁ ସ୍ପାର୍କିଂ ଶବ୍ଦ ଶୁଣି ଲକ୍ଷ୍ମଣ ବାଇକ୍ରୁ ଡେଇଁ ପଡ଼ିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବିଦ୍ୟୁତ୍ ତାର ପଡ଼ି ବାଇକ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଦ୍ୟୁତ୍ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଏହାକୁ କେନ୍ଦ୍ରକରି ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ମହୁଲଡିହା ଥାନା ଅଧିକାରୀ ରଂଜୁହାସିନୀ କୁଲୁ, ଏଏସ୍ଆଇ ସନ୍ତୋଷ କୁମାର ନାଏକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
The post ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବାଇକ୍ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ first appeared on Sambad.from ଜିଲ୍ଲା | Sambad https://ift.tt/3Ixdkqe
0 Comments