
ବ୍ୟାସନଗର : ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝୀ ଅବସର ନେବା ପରେ ଦେଢ଼ମାସ ହେଲା ନୂତନ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ଦେବପ୍ରସନ୍ନ ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଜୁଲାଇ ୧ରୁ ସେ ଅଧ୍ୟକ୍ଷ ଦାୟିତ୍ଵ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇନାହିଁ। ଏହି କାରଣରୁ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଅନ୍ୟ କର୍ମଚାରୀ ଦରମା ପାଇପାରୁ ନାହାନ୍ତି। ମହାବିଦ୍ୟାଳୟ ନିୟମ ଅନୁଯାୟୀ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିବାର କିଛିଦିନ ମଧ୍ୟରେ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଥାଏ। ଏଠାରେ ଦେଢ଼ମାସ ହେଲାଣି ଅଧ୍ୟକ୍ଷଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇ ନାହିଁ। ଫଳରେ ପାଖାପାଖି ୧୮୦ ଜଣ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଦରମା ପାଇପାରୁ ନାହାନ୍ତି।
ଆର୍ଥିକ କ୍ଷମତା କାହିଁକି ପ୍ରଦାନ କରାଯାଉ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିଚାଳନା ସମିତି ତୁରନ୍ତ ହସ୍ତକ୍ଷେପ କରି ସମସ୍ୟା ସମାଧାନ କରିବାକୁ ଶିକ୍ଷାବିତ୍ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଅଧ୍ୟକ୍ଷଙ୍କୁ ପଚାରିବାରୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇ ନଥିବାରୁ ଦରମା ମିଳିପାରି ନାହିଁ ବୋଲି ପ୍ରକାଶ କରିଛନ୍ତି। ଇଂରାଜୀ ବିଭାଗ ମୁଖ୍ୟ ତଥା ପ୍ରଶାସନିକ ଅଧିକାରୀ ଡ. କୁଶଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ କହିଥିଲେ, ଅଧ୍ୟକ୍ଷଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରିବା ପାଇଁ ଆବେଦନ କରାଯାଇଛି। ଆଜି ପର୍ଯ୍ୟନ୍ତ ଅନୁମୋଦନ ହୋଇ ନ ଥିବାରୁ ଦରମା ପାଇ ପାରି ନାହାନ୍ତି। ଖାଲି ସେତିକି ନୁହେଁ, ପ୍ରତିଦିନ ବ୍ୟୟଭାର ତୁଲାଇବା ମଧ୍ୟ ସହଜ ହେଉନାହିଁ ବୋଲି ସୂଚନା ଦେଇଛନ୍ତି।
The post ଅଧ୍ୟକ୍ଷଙ୍କୁ ମିଳୁନି ଆର୍ଥିକ କ୍ଷମତା; ଅଧ୍ୟାପକ, କର୍ମଚାରୀ ଦରମାରୁ ବଞ୍ଚିତ first appeared on Sambad.from ଜିଲ୍ଲା | Sambad https://ift.tt/3sctnlu
0 Comments