
ଜୟପାଟଣା : ଶୁକ୍ରବାର ରାତିରେ ଜୟପାଟଣା ବ୍ଲକ୍ ବଡ଼ କର୍ଲକୋଟ ଗ୍ରାମର ସୀମାନ୍ତରେ ପୃଥକ ଘଟଣାରେ ୨ଟି କୁଡ଼ିଆକୁ ଜାଳି ଦିଆଯାଇଛି। ଏହି ଘଟଣାକୁ ଏକ ସୁପରିକଳ୍ପିତ ବ୍ୟାବସାୟିକ ହିଂସାକାଣ୍ଡ ବୋଲି ଆଲୋଚନା ହେଉଛି। ଜୟପାଟଣା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଘଟଣାକୁ ଗୁରୁତ୍ବ ଦେଉନଥିବା ଆଲୋଚନା ହେଉଛି।

ସୂଚନାରୁ ପ୍ରକାଶ ଯେ ବଡ଼ କର୍ଲାକୋଟ ଗ୍ରାମର ଦକ୍ଷିଣ ପଶ୍ଚିମ ଉପାନ୍ତରେ ସ୍ଥାନୀୟ ମଧୁ ପଟେଲ ଏକ ମାଂସ ଦୋକାନ କରି ପରିବାର ପୋଷଣ କରୁଥିଲେ। ଗ୍ରାମର କିଛି ଲୋକ ଦେଶୀ ହାତରନ୍ଧା ମଦ ସେଠାରେ ବିକ୍ରି ହେଉଥିବା ସନ୍ଦେହ କରି ପଟେଲଙ୍କୁ ଧମକ ଦେଇଥିବା ଅଭିଯୋଗ ଆଣିଥିଲେ। କିନ୍ତୁ ମଦ ବିକ୍ରିକୁ ପଟେଲ ଖଣ୍ଡନ କରିଥିଲେ। ଗତ ଶୁକ୍ରବାର ରାତିରେ ଗାଁ ଲୋକଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ଏକ ବେଆଇନ ମଦ ବିକାଳିର ଲୋକମାନେ ମଧୁଙ୍କ ଘରକୁ ଜାଳି ଦେଇଛନ୍ତି ବୋଲି ମଧୁଙ୍କ ପାଖ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରୁ ୩ଶହ ମିଟର ଦୂରେ ଅବସ୍ଥିତ ମଧୁ ପଟେଲଙ୍କ ବଗିଚା ପାଇଁ ଉଦ୍ଦିଷ୍ଟ ଜଗୁଆଳି କୁଡ଼ିଆକୁ ସମ୍ପୂର୍ଣ୍ଣ ଜାଳି ଦିଆଯାଇଛି। ସେଠାରେ ରହୁଥିବା ଦ୍ରୌପଦୀ ଦିଶାରୀ (୮୦)ଙ୍କ ସମସ୍ତ ଆସବାବପତ୍ର, ୬ ହଜାର ଟଙ୍କା, ସମ୍ପୂର୍ଣ୍ଣ ଜଳିଯାଇ ନଷ୍ଟ ହୋଇଛି।
ମହିଳାଙ୍କ କେହି ସାହାରା ନଥିବାରୁ ମଧୁ କୁଡ଼ିଆ ଖଣ୍ଡିଏ ତିଆରି କରିଦେଇ ବଗିଚାକୁ ଦେଖିବା ପାଇଁ ଆଶ୍ରୟ ଦେଇଥିଲେ। ଘଟଣା ଦିନ ଦ୍ରୌପଦୀ ନିକଟ ପଡ଼ାରେ ରହୁଥିବା ଝିଅ ଘରକୁ ଯାଇ ରାତିରେ ରହିଥିଲେ। ସେହି ରାତିରେ ମଧୁଙ୍କ ଦୋକାନ ଘର ଜଳାଇବାର କିଛି ସମୟ ପରେ ଦ୍ରୌପଦୀଙ୍କ କୁଡ଼ିଆକୁ ଦୁର୍ବୃତ୍ତମାନେ ଜଳାଇଛନ୍ତି। ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦ୍ରୌପଦୀ କାନ୍ଦୁଥିବା ଦେଖିବାକୁ ପାଇଥିଲେ। ୨ଦିନ ହେଲା ଗୋଟିଏ ଶାଢ଼ି ପିନ୍ଧି ଭୋକିଲା ପେଟରେ ଦିନ କାଟୁଥିବା ପ୍ରକାଶ କରିଥିଲେ। ସ୍ଥାନୀୟ ତହସିଲଦାରଙ୍କୁ ଖବର ଦେବାପରେ ସେ ତଦନ୍ତ କରି ସହାୟତା କରିବେ ବୋଲି କହିଛନ୍ତି। ଜୟପାଟଣା ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହେଉଛି।
The post ବ୍ୟାବସାୟିକ ଶତ୍ରୁତା, ଜାଳିଦେଲେ ଦୁଇ କୁଡ଼ିଆ first appeared on Sambad.from ଜିଲ୍ଲା | Sambad https://ift.tt/3kfqigV
0 Comments